ଭୁବନେଶ୍ବର,୧/୪ : ବିଜେପି ସରକାରର ଅସ୍ମିତାର ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ତାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପଡ଼ୋଶୀଙ୍କୁ ଖୁସ କରିବାକୁ ଯାଇ ଓଡିଶାକୁ ଡବଲ ଇଞ୍ଜିନ ସରକାର ଧୋକ୍କା ଦେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।କୋଟିଆରେ ଆନ୍ଧ୍ରର ମାତ୍ରାଧିକ ପ୍ରବେଶ । ଗୋଟିଏ ପରେ ଗୋଟିଏ ସ୍ଥାନକୁ ନିଜ ଦଖଲରେ ନେବାକୁ ଜାରି ରହିଛି ପ୍ରୟାସ । କେଉଁଠି ସରକାରୀ ସହାୟତା ତ ଆଉ କେଉଁଠି ଜୋର ଜବରଦସ୍ତ ପ୍ରବେଶ ।
ପୋଲାଭରମ ପ୍ରକଳ୍ପ କାମ ବି ଚାଲିଛି ଦ୍ରୁତ ବେଗରେ । ପ୍ରକଳ୍ପ ଯୋଗୁଁ ଓଡିଶାର ମାଲକାନାଗିରି ମୋଟୁ ଅଞ୍ଚଳ ସହ ବହୁ ଗାଁ ବୁଡ଼ିଯିବ । ମହାନଦୀ ଉପରେ ଛତିଶଗଡ ବେଆଇନ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବା ସହ ଓଡିଶାର ହକରେ ସାଜିଛି ବାଧକ । ବାଲେଶ୍ବର ସୀମାବର୍ତ୍ତିୀ ଅଞ୍ଚଳରେ ପଶ୍ଚିମବଙ୍ଗର ମନମାନି । ସୀମାବର୍ତ୍ତିୀ ଜିଲ୍ଲାଗୁଡ଼ିକରେ ଓଡିଆ ଭାଷା ସଙ୍କଟ ଦେଖାଦେବା ସହ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଏତେ ସବୁ ପରେ ଓଡିଆ ଅସ୍ମିତାର ନାରା ଦେଇ ଓଡିଶାକୁ ଶାସନ କରୁଥିବା ବିଜେପି ସରକାର ଚୁପ୍ । ଚୁଲି କି ଯାଇଛି ଅସ୍ମିତାର ପ୍ରତିଶ୍ରୁତି । କେବଳ ଭାଷଣ, ସଭା ସମିତି ଓ ନାମ ପରିବର୍ତ୍ତନରେ ସୀମିତ ରହିଛି ଓଡିଆ ଅସ୍ମିତା । ଯାହାକୁ ନେଇ ଓଡିଶା ଦିବସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ମୁଖ୍ୟ ବିରୋଧୀ ବିଜେଡି । ସେହିଭଳି ଓଡିଶା ଦିବସରେ ରାଜ୍ୟ ସରକାରଙ୍କୁ ନିଶାନା କରିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ଅଖଣ୍ଡ ଓଡିଶା ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି l ରାଜ୍ୟ ସରକାର ଚୁପ୍ ହୋଇ ବସିଛନ୍ତି l ବିଜେପି ଶାସନକୁ ଆସିବା ଦିନଠାରୁ ଓଡ଼ିଶା ଅସୁରକ୍ଷିତ ହୋଇପଡ଼ିଛି l କେଉଁଠି ଟ୍ରିପଲ ଇଞ୍ଜିନ ସରକାର ତ ଆଉ କେଉଁଠି ଡବଲ ଇଞ୍ଜିନ, ହେଲେ ଓଡ଼ିଶାର ଦାବିକୁ କରାଯାଉଛି ଅଣଦେଖା ।
ରାଜ୍ୟ ସ୍ବାର୍ଥକୁ ବଳି ଦେଇ ରାଜନୈତିକ ସ୍ବାର୍ଥ ପାଇଁ ପଡ଼ୋଶୀ ରାଜ୍ୟ ପାଖରେ ଓଡ଼ିଶାକୁ ବିଜେପି ସରକାର ବଳି ପକାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ୯ ମାସ ଭିତରେ କେମିତି ଓଡ଼ିଆ ଅସ୍ମିତାର ସଙ୍କଟକୁ ଚାଲିଗଲା ବୋଲି ପାଲଟା ପ୍ରଶ୍ନ କରିଛି ଦଳ ।ଓଡିଶା ଦିବସ ପାଳନ ଭିତରେ ଓଡିଆ ଅସ୍ମିତା ସଙ୍କଟ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜନୀତିରେ ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡିଛି ଓଡିଆ ଅସ୍ମିତା ।
