ଅକ୍ଟୋବର ୯ରେ “ଖୋକା ଭାଇ ତୁମ ପାଇଁ’, ଅକ୍ଷୟ ମହାନ୍ତିଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌

ଭୁବନେଶ୍ୱର, ୨୭/୯ : ଆମ ଦର୍ଶକଙ୍କ ମତାମତ ଆମ ପାଇଁ ସର୍ବୋ ପରି । ହଁ ଆଜ୍ଞା, ସେଇ ସଙ୍ଗୀତ ସମ୍ରାଟ୍‌ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପାଇଁ “ଖୋକା ଭାଇ ତମ ପାଇଁ’ର ମୁକ୍ତିଲାଭ ଦିନ ଅର୍ଥାତ୍‌ ଆସନ୍ତା ଅକ୍ଟୋବର ୯ ତାରିଖ ଦିନ ଓଡ଼ିଶାର ସମସ୍ତ ହଲ୍‌ରେ ପ୍ରଥମ ସୋ’ରେ ଗୋଟିଏ ଲେଖାଏଁ ସିଟ୍‌ ଖାଲି ରଖା ହେବ । ଅର୍ଥାତ୍‌ ସେଦିନ ଆମ ଖୋକା ଭାଇ ଆମ ସହ ଆମ ସିନେମା ଦେଖିବେ । ତାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌ ପଡ଼ିବ ନଚେତ୍‌ ସଂରକ୍ଷିତ ରହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦର୍ଶକଙ୍କ ମତାମତକୁ ସମ୍ମାନ ଜଣାଇ ସୋସିଆଲ୍‌ ମିଡିଆରେ ଗୁରୁବାର ଏହି ଘୋଷଣା କରାଯାଇଛି ।

ଯେଉଁ ଦର୍ଶକ ମତ ରଖିଥିଲେ ତାକୁ ବି ସଂସ୍ଥା ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋଚିତ୍ରରେ ସୂଚିତ କରାଯାଇଛି । ଅକ୍ଷୟ ମହାନ୍ତି ଆମ ସହିତ ନାହାନ୍ତି, ହେଲେ ତାଙ୍କ ସାହିତ୍ୟ, ଗୀତ, ସଙ୍ଗୀତକୁ ଛାଡ଼ି ଯାଇଛନ୍ତି ଆମ ପାଇଁ । ଆଜି ବି ଅକ୍ଷୟ ସଙ୍ଗୀତରେ ହଜିଯାଆନ୍ତି ଶ୍ରୋତା । ପୂଜା ପାର୍ବଣ ଆସିଲେ ଝୁରି ହୁଅନ୍ତି ଅକ୍ଷୟ ମହାନ୍ତିଙ୍କୁ । ଏବେ ତାଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା । ତାଙ୍କ ସମ୍ପର୍କରେ ଅଧିକ ଜାଣିବେ ‘ଖୋକା ଭାଇ ତୁମ ପାଇଁ’ ଚଳଚ୍ଚିତ୍ରରୁ । ଓଡ଼ିଶାବାସୀଙ୍କ ଭାବପ୍ରବଣତା ଏ ଫିଲ୍ମକୁ ଆଗଧାଡ଼ିରେ ରଖିବ ଦଶହରା ବଜାରରେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ସ୍ୱରାଜ, ଲକି ମନୀଷାଙ୍କ ସହ ଏଥିରେ ସରୋଜ ପରିଡ଼ା ଏବଂ ଉପାସନା ମୁଖ୍ୟ ଚରିତ୍ରରେ ଅଛନ୍ତି । ‘ଚୁମ୍‌କି’, ‘ମନ ମ୍ୟୁଜିୟମ୍‌’ ପରେ ଏହା ଉପାସନାଙ୍କର ତୃତୀୟ ଚଳଚ୍ଚିତ୍ର । ପୂର୍ବରୁ ଟେଲି ଦୁନିଆରେ ନିଜ ସିରିୟଲ୍‌ଗୁଡ଼ିକ ମାଧ୍ୟମରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ଉପାସନା । ଏବେ ଏଥିରେ ଉପାସନା କେଉଁ ଭୂମିକାରେ ଆସି ପ୍ରଶଂସକଙ୍କୁ ମୁଗ୍ଧ କରୁଛନ୍ତି, ତାହା ଦେଖିବା ବାକି ରହିଲା । ବାକି ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରୁ ଶିକ୍ଷାପ୍ରାପ୍ତ ଆଉ ଜଣେ ଓଡ଼ିଆ ପ୍ରତିଭା ହେଲେ ସରୋଜ ।

ଅନେକ ଫିଲ୍ମରେ ପ୍ରତିଭା ପ୍ରଦର୍ଶନ କରି ଏକ ଭିନ୍ନ ଲୁକ୍‌ରେ ଆସୁଛନ୍ତି ସେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ୍‌ ମହାନ୍ତି ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।

Leave a Reply

Your email address will not be published. Required fields are marked *