ପାଣ୍ଡିଆନ-ବବିଙ୍କ କବଜାରୁ ମୁକୁଳିପାରୁନି ବିଜେଡି !

ଭୁବନେଶ୍ବର, ୨୭/୯ : ପାଣ୍ଡିଆନ-ବବିଙ୍କ କବଜାରୁ ମୁକୁଳିପାରୁନି ବିଜେଡି । ଯାହାର ଉଦାହରଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ଏବେ ବି ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସଙ୍କ ମାଧ୍ୟମରେ ବିଜେଡିକୁ ନିୟନ୍ତ୍ରଣ କରୁଥିବା ଦେଖାଯାଉଛି । ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଦଳ ପକ୍ଷରୁ ଘୋଷିତ ବିଭିନ୍ନ କମିଟିରେ ପ୍ରଣବପ୍ରକାଶ ଓରଫ ବବିଙ୍କୁ ସାମିଲ କରାଯାଇନଥିଲେ ମଧ୍ୟ ଆଜି ଶଙ୍ଖଭବନରେ ଦଳର ପ୍ରାୟ ୧୦୦ରୁ ଅଧିକ ଶୀର୍ଷ ଓ ଆଗଧାଡ଼ିର ନେତାମାନଙ୍କ ବୈଠକରେ ନବୀନଙ୍କ ପାଖେପାଖେ ତାଙ୍କୁ ଦେଖିବାକୁ ମିଳିଥିଲା । କୌଣସି କମିଟିରେ ନ ଥାଇ ବବି ଆଜିର ବୈଠକରେ କିଭଳି ସାମିଲ ହେଲେ ,ଆଗଧାଡ଼ିରେ ନବୀନଙ୍କ ପାର୍ଶ୍ବରେ ବସି ଗ୍ରୁଫ୍ ଫଟୋ ଉଠାଇଲେ ଓ ଦଳର ସବୁ ଆଗଧାଡ଼ିର ନେତା ଥିଲେ ମଧ୍ୟ କାହିଁକି ବବିଙ୍କ ମାମଲାତିକୁ କେହି ବିରୋଧ କଲେନି ତାକୁ ନେଇ ଦଳୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।ଆଜି ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ଆଗଧାଡ଼ିର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ପ୍ରାୟ ଏକ ଘଂଟା ଧରି ଉପସ୍ଥିତ ରହି ନେତାମାନଙ୍କ ମତାମତ ଶୁଣିଥିଲେ ମଧ୍ୟ ସେମାନଙ୍କ ଉତ୍ସାହ ବୃଦ୍ଧି କଲା ଭଳି କୌଣସି ମତ ରଖିନଥିଲେ । ଚିରାଚରିତ ଢଙ୍ଗରେ ଆଣିଥିବା ଲିଖିତ ପେପରକୁ ପଢ଼ି ମୋହନ ମାଝୀ ସରକାରକୁ ସମାଲୋଚନା କରିଥିଲେ । କିନ୍ତୁ ନିଜ ଦଳ କିଭଳି ସଂଗଠିତ ହେବ, ଦଳର ନିର୍ବାଚନୀ ବିପର୍ଯ୍ୟୟ କାହିଁକି ହେଲା, ଦଳୀୟ ନେତାମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତା’ର ସମାଧାନ କିଭଳି ହେବ ସେସବୁ ପ୍ରସଙ୍ଗରେ ମୁହଁ ଖୋଲିନଥିଲେ । ତେବେ ବବିଙ୍କୁ ନେଇ ଦଳ ଭିତରେ ତୀବ୍ର ଆକ୍ରୋଶ ରହିଥିଲେ ମଧ୍ୟ ତାଙ୍କୁ ବୈଠକକୁ କିଏ ଓ କାହିଁକି ଡାକିଲେ ଏବଂ ନବୀନଙ୍କ ପାର୍ଶ୍ବରେ ବସି ଫଟୋ ଉଠାଇବାର ସୁଯୋଗ କିଭଳି ଦିଆଗଲା ତାହା ଦଳୀୟ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଚର୍ଚ୍ଚା ହେଉଛି, ନବୀନ ନିବାସରେ ବସି ବିଜେଡି ସଂଗଠନକୁ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କରୁଥିବା ପାଣ୍ଡିଆନ ନିଜର ପ୍ରତିନିଧି କରି ବବିଙ୍କୁ ଶଙ୍ଖଭବନ ପଠାଇଥିଲେ । ନିର୍ବାଚନ ପରାଜୟ ପରଠୁ ବିଜେଡିରେ ବ୍ଲକଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆଉ ସୁଯୋଗ ପାଇବାମାତ୍ରେ ନବୀନଙ୍କ ଆଗରେ ଦଳର ନେତା-କର୍ମୀମାନେ ପରାଜୟର କାରଣ କଥା କହି ନିଜର ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି ।

ଦଳୀୟ କର୍ମୀ ଓ ନେତାମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ବବିଙ୍କ ମାଧ୍ୟମରେ ପାଣ୍ଡିଆନ ଦଳକୁ ନିୟନ୍ତ୍ରଣ କରିବା ଖୋଲାଖୋଲି ଭାବେ ନବୀନଙ୍କ ବିବଶତା ଓ ଅସହାୟତାକୁ ପଦାରେ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *