ନୂଆଦିଲ୍ଲୀ, ୪/୧୧ : ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୬ ଅର୍ଥରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେଥିରୁ ଓହରିଗଲେ ତାହାକୁ ଆତ୍ମହତ୍ୟା ପାଇଁ ଉସୁକେଇବା ବୋଲି ବିବେଚନା କରାଯିବ ନାହିଁ । ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଡିସଚାର୍ଜ ଆବେଦନକୁ ଗ୍ରହଣ କରି କୋର୍ଟ ଏହି କଥା କହିଛନ୍ତି ।ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ସିଏସ୍ ସୁଧାଙ୍କ ଖଣ୍ଡପୀଠ ସମ୍ପର୍କ ଭାଙ୍ଗିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗର ଶୁଣାଣି କରିଥିଲେ । ବାସ୍ତବରେ ଅଞ୍ଜୁ ନାମକ ମହିଳା ଆତ୍ମହତ୍ୟା କରିବା ପରେ ତାଙ୍କ ଭଉଣୀ ଅଭିଯୋଗ ଆଣିଥିଲେ ଯେ ସରକାରୀ ଚାକିରି ପାଇବା ପରେ ଅଭିଯୁକ୍ତ ବିଜୁ କୁମାର ବିବାହ ପାଇଁ ମନା କରିଦେଇଥିଲେ । ଏହାପରେ ସମ୍ପର୍କ ଖରାପ ହେବା ପରେ ଅଞ୍ଜୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।
ମୃତ ମହିଳାଙ୍କ ଭଉଣୀ ଅଭିଯୋଗ ଆଣିଥିଲେ ଯେ ବିଜୁ କୁମାର ସରକାରୀ ଚାକିରି ପାଇବା ପରେ ଯୌତୁକ ମାଗିଥିଲେ ଆଉ ଏହି ଘଟଣାକୁ ନେଇ ତାଙ୍କ ଭଉଣୀ ମାନସିକ ଅବସାଦରେ ରହୁଥିଲେ । ଶେଷରେ ସେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ବିବାହ ପାଇଁ ମନା କରିବା ଓ ଆତ୍ମହତ୍ୟା ପାଇଁ ଉସୁକେଇବା ଅଭିଯୋଗ କରାଯାଇଥିଲା । ଅସ୍ୱାଭାବିକ ମୃତ୍ୟୁ ପାଇଁ ସିଆରପିସିର ଧାରା ୧୭୪ ଅନୁଯାୟୀ ଏକ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଥିଲା । ତେବେ, ଅନୁସନ୍ଧାନ ପରେ ଅଞ୍ଜୁଙ୍କ ଡାଏରୀରେ ଲେଖା ହୋଇଥିବା ସୂଈସାଇଡ ନୋଟକୁ ଆଧାର କରି ବିଜୁ କୁମାରଙ୍କ ନାମରେ ଧାରା ୩୦୬ ଆଇପିସି ଅଧୀନରେ ଗିରଫ କରାଯାଇଥିଲା । ଏହାପରେ ଅଭିଯୁକ୍ତଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅଦାଲତ କହିଛନ୍ତି ଯେ କୌଣସି ଉଦ୍ଦେଶ୍ୟ ବିନା କ୍ରୋଧ କିମ୍ବା ଭାବନାରେ କୁହାଯାଇଥିବା ଶବ୍ଦକୁ ଉସୁକେଇବା ବୋଲି କୁହାଯାଇପାରିବ ନାହିଁ । କୋର୍ଟ କହିଛନ୍ତି ଯେ ଯଦି ଆତ୍ମହତ୍ୟା କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ଠୋସ୍ ପ୍ରମାଣ ନଥାଏ, ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ।