ଶୁଭମ୍ ସିନେ ପ୍ରଡ଼କସନ୍ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”ର ମୋସନ୍ ପୋଷ୍ଟର ଲୋକାର୍ପଣ

ଭୁବନେଶ୍ବର, ୧୩/୧୧ : ଶ୍ରୀମତୀ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ର ମୋସନ୍ ପୋଷ୍ଟର ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ବୁଧବାର ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଲୋକାର୍ପଣ ହୋଇଯାଇଛି l ଏହି ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର ଲୋକାର୍ପଣ ଉତ୍ସବରେ ପ୍ରଯୋଜିକା ଶ୍ରୀମତୀ ବେହେରା, ଲେଖକ ତଥା ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ଅଶେଷ ଦାସ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, ଅଭିନେତା ପାର୍ଥସାରଥୀ, ପ୍ରସନଜିତ ମହାପାତ୍ର, ସାଇ ତ୍ରିଷ୍ଣା (ଶିଶୁ କଳାକାର), ଚଳଚ୍ଚିତ୍ର ପ୍ରଯୋଜକ ଅତୀଶ କୁମାର ରାଉତ, ଟିକି ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ବନ୍ଧୁଗଣ ଉପସ୍ଥିତ ଥିଲେ l ଏବେ ଓଡ଼ିଆ ଫିଲ୍ମର ଧାରା ବଦଳିବା ସହ କାହାଣୀ ହିଁ ମୁଖ୍ୟ ନାୟକ ସାଜିଛି l ଅନେକ ବର୍ଷ ପରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି l ବିଗତ ଦିନରେ ଦର୍ଶକ ବିଭିନ୍ନ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ରଗୁଡିକୁ ବେଶୀ ପସନ୍ଦ କରୁଥିବାରୁ ଓଲିଉଡ଼ର ସିନେ ନିର୍ମାତା ଠିକ୍ ସେହିଭଳି ରୁଚିର ସିନେମା ଗୋଟିଏ ପରେ ଗୋଟିଏ ନିର୍ମାଣ କରି ଚାଲିଛନ୍ତି l “ଆଞ୍ଜେଲ” ନାଁରୁ କିଛି ନିଆରା ହେଇଥିବ ଏକଥା ଦର୍ଶକ ଅନୁମାନ କରିପାରୁଥିବେ ନିଶ୍ଚୟ l

ତେବେ ଆଞ୍ଜେଲର କାହାଣୀ ଏପରି; ଜଣେ ସାହସୀ ପୋଲିସ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ସୂର୍ଯ୍ୟକାନ୍ତ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ସିନେମାରେ କାହାଣୀର ରହସ୍ୟ ଉନ୍ମୋଚିତ ହେବ ଆସନ୍ତା ନୂଆ ବର୍ଷ ଆରମ୍ଭରେ l ଏକ ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଓଡିଆ ସିନେମା “ଆଞ୍ଜେଲ” l ଚଳଚ୍ଚିତ୍ରର ଲେଖକ ଏବଂ ନିର୍ଦ୍ଦେଶକ ରହିଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ l ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର l ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି l କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ l

ପ୍ରଡ଼କସନ୍ ହେଡ୍ ସର୍ବେଶ୍ୱର ସୁତାର, ପ୍ରଡ଼କସନ୍ ଡିଜାଇନ୍ କରିଛନ୍ତି ଅଜୟ ସୁତାର, ସାଉଣ୍ଡ ଡିଜାଇନ୍ ଶକ୍ତି ସ୍ୱରୂପ ଦ୍ବିବେଦୀ, କଷ୍ଟ୍ୟୁମ୍ସ ରବି, ଡ଼ି.ଆଇ ରାଜେଶ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଚ୍ଛଦପଟ ସଙ୍ଗୀତ ଅଶେଷ ଦାସ ଦେଇଥିବା ବେଳେ ପବ୍ଲିସିଟି ଡିଜାଇନ୍ କରିଛନ୍ତି ଏମ୍ ଫ୍ୟାକ୍ଟର l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ୨୦୨୫ ବର୍ଷ ଆରମ୍ଭରେ ଶୁଭମ ପ୍ରଡ଼କସନ୍ ଓଡ଼ିଆ ଦର୍ଶକଙ୍କୁ ତା’ର ପ୍ରଥମ ଅର୍ଘ୍ୟ ଭେଟିଦେବା ପାଇଁ ପ୍ରସ୍ତୁତ ହେଇସାରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *