ଭୁବନେଶ୍ୱର,୧୩/୧୧ : ନିର୍ବାଚନକୁ ୬ମାସ ବିତିଲାଣି । ଏବେ ବି ବିଜେଡି ମୁଣ୍ଡରୁ ଯାଉନି ପରାଜୟର ହ୍ୟାଙ୍ଗ୍ ଓଭର । ତାଙ୍କର ପ୍ରିୟ ମୁଖିଆଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜାରି ରଖିଛନ୍ତି ପ୍ରୟାସ । କଳେବଳେ କୌଶଳେ ମୁଖିଆଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବାକୁ ଅଙ୍କ କଷୁଛନ୍ତି । ଏହାରି ଭିତରେ ଜାରି ରହିଛି ସଂଖ୍ୟା ଗଣିତର ଖେଳ । ଯଦି ଏହି ସଂଖ୍ୟା ଗଣିତରେ କିଛି ଗଡ଼ବଡ଼ ହୁଏ ବାଜି ପଲଟିବାର ସମ୍ଭାବନା ଅନେକ । ଆସନ୍ତୁ ଜାଣିବା ପୂରା ଘଟଣା କେମିତି ରହିଛି, ତାହା ଉପରେ ନଜର ପକାଇବା ।
ରାଜ୍ୟ ରାଜନୀତିରେ ସଂଖ୍ୟାକୁ ନେଇ ଜାରି ରହିଛି ବୟାନବାଜୀ। କାହାର କେତେ ଏବଂ କାହା ସଂପର୍କରେ କିଏ ସେ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଛକାପଞ୍ଜା। ବିଜେଡି ନେତା କହିଲେଣି ଆଉ ୧୦ ଦରକାର। ହେଲେ ୧୦ର ହିସାବ କଣ? ବିଜେଡି ସାଥିରେ ଆଉ ୧୦ ବିଧାୟକ ରହିଲେ ହୋଇଯିବ କି ସରକାର?ଏମିତି କେତେ କଣ ଆକଳନ ମଧ୍ୟରେ ଦେଖିବା କଣ କହୁଛି ଗଣିତ। ଓଡ଼ିଶା ବିଧାନସଭାରେ ମୋଟ ୧୪୭ ବିଧାୟକ ଥିବା ବେଳେ ବହୁମତ ପାଇଁ ଦରକାର ୭୪ ଆସନ। ତେବେ ୨୦୨୪ ନିର୍ବାଚନରେ ବିଜେପି ୭୮ ଆସନ ପାଇ ସରକାର ଗଢିଛି। ସେପଟେ ବିରୋଧୀ ବିଜେଡି ପାଖରେ ୫୧ ଆସନ, କଂଗ୍ରେସର ୧୪ ଏବଂ ଅନ୍ୟାନ୍ୟ ରହିଛନ୍ତି ୪ ଜଣ। ଆଗରୁ ମୁନା ଖାଁଙ୍କ ଭଳି ବିଜେଡି ସାଂସଦ କହିଥିଲେ ଯେ ତାଙ୍କ ସଂପର୍କରେ ଅଛନ୍ତି ବିଜେପି ବିଧାୟକ। ସେ ଏହି ସଂଖ୍ୟା ୧୪ କହିଥିବା ବେଳେ ଏବେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଲେଣି ଆଉ ୧୦ ଦରକାର। ସେ ହିସାବ ଦେଇ କହିଛନ୍ତି ବିଜେଡି ୫୧,କଂଗ୍ରେସ ୧୪, ସ୍ବାଧୀନ ୩ ଏବଂ ଆଉ ଦରକାର ୧୦। ହେଲେ ୧୦ ଆସିବ କେଉଁଠୁ ? ବିଜେଡି ନେତାଙ୍କ ଦାବି ଅନୁସାରେ ଯଦି ଶାସକ ଦଳର ୧୦ ବିଧାୟକ ପଟ୍ଟ ପରିବର୍ତ୍ତନ କରନ୍ତି ତେବେ ସେମାନେ ଅଯୋଗ୍ୟ ହେବେ। ସେହିପରି କୋର୍ଟରେ କେତେକ ବିଧାୟକଙ୍କର ନିର୍ବାଚନୀ ମାମଲା ଚାଲୁଛି। ତେଣୁ କୋର୍ଟରେ ହାରଜିତ ଉପରେ ବିଜେଡି ନଜର ରଖିଛି କି ? ହେଲେ ସେହି ସଂଖ୍ୟା ବି ଖୁବକମ୍ ।
ସେପଟେ ବିଜେପି ବିଧାୟକ ବି ବାରମ୍ବାର କହିଆସୁଛନ୍ତି ଯେ ବିଜେଡି ବିଧାୟକମାନେ ସେମାନଙ୍କର ସଂପର୍କରେ ଅଛନ୍ତି। ଆଉ ସେହି ସଂଖ୍ୟା ବଢି ଏବେ ୨୭ ହେଲାଣି। ହେଲେ ବିରୋଧୀ ବିଜେଡିର ୨୭ ବିଧାୟକ ପଟ୍ଟପରିବର୍ତ୍ତନ କଲେ ବି ଆଣ୍ଟି ଡିଫେକ୍ସନ ଆଇନ ଲାଗୁ ହେବ ମାନେ ସେମାନଙ୍କର ବି ସଭ୍ୟ ପଦ ରଦ୍ଦ ହେବା ସଂଭାବନା ରହିଛି।ତେବେ ଗୋଟିଏ କଥା ସତ ଯେ ବିଜେଡି ଏବଂ ବିଜେପିର ଦାବିକୁ ନେଇ ଉଷ୍ଣ ରହିଛି ରାଜ୍ୟ ରାଜନୀତି। ହେଲେ ସଂଖ୍ୟା ଖେଳରେ ବିରୋଧୀଙ୍କ ଅପେକ୍ଷା ଭଲ ସ୍ଥିତିରେ ରହିଛି ବିଜେପି।