ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍‌

ଭୁବନେଶ୍ବର, ୨୦/୧୧ : ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ଶ୍ରୀ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ବୁଢ଼ାପୋଲ ନିକଟରେ ଆଜି ବିଜେଡି କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ବିରଜା ମାର୍କେଟରେ ହାଟ ବନ୍ଦ କରିବା ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିଥିଲେ। ତେଣୁ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ସେହିବାଟରେ ଏ ସରକାରୀ ବୈଠକକୁ ଯୋଗଦେବାକୁ ଯାଉଥିବା ବେଳେ ଫସି ଯାଇଥିଲେ। ହଠାତ୍ ୧୦/୧୫ ଜଣ ଲୋକ ତାଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସିଥିଲେ।

ସେମାନେ ବିଧାୟକ ଶ୍ରୀ ସାହୁଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ସୁନା ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ। ତାଙ୍କ କାରକୁ ଲୁହା ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଫଳରେ ତାଙ୍କ କାରର କାଚ ଭାଙ୍ଗି ଯାଇଛି। ଗଲା ବେଳେ ସେମାନେ ବବି ଭାଇ ଜିନ୍ଦାବାନ ନାରା ପକାଇଥିଲେ। ଏମିତିକି ବିଜେପି ନେତା ଯାଜପୁରକୁ ଆସିଲେ ମାଡ଼ ଖାଇବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *