କେଉଁ ସ୍ବାର୍ଥରେ ? ବିରୋଧୀବେଳେ ତୁମ୍ବି ତୋଫାନ ; ସରକାରକୁ ଆସିଲା ପରେ ଚୁପ୍

ଭୁବନେଶ୍ବର, ୫/୧୨ : ଆଉ ମାତ୍ର ସପ୍ତାହେ ପରେ ରାଜ୍ୟରେ ବିଜେପି ସରକାରକୁ ୬ମାସ ପୁରିବ । କିନ୍ତୁ ବିଜେଡି ସରକାରର ଅନିୟମିତତା ଓ କେଳେଙ୍କାରୀକୁ ନେଇ ବିଜେପି ଚୁପ୍ । ଯେଉଁ ସବୁକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିଲା ଏବେ ଦଳ କ୍ଷମତାକୁ ଆସିବା ପରେ ସେହି ସବୁ ପ୍ରସଙ୍ଗ ଉପରେ ଅସମ୍ଭବ ନୀରବତା ଆପଣାଇଛି ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ , ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି, ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଓ ମାରାଥନ୍ ବିମାନବୁଲା, ବିନା ଗାଇଡଲାଇନରେ କୋଟିକୋଟି ଟଙ୍କା ପାଣ୍ଠି ମଞ୍ଜୁର ଆଦି ସମେତ ବହୁ ଦୁର୍ନୀତି,ଅନିୟମିତତା ଓ ହତ୍ୟା ମାମଲାରେ ବିଜେପି ସରକାର ନିରବ ରହିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନକୁ ୬ ମାସ ପୁରିବାକୁ ବସିଲାଣି ସତ କିନ୍ତୁ ବିଜେଡି ସରକାରର ୨୪ବର୍ଷର ଶାସନ କିମ୍ବା ବିଜେଡିର ବିବାଦୀୟ ବଡ଼ପଣ୍ଡାମାନଙ୍କ ବିରୁଦ୍ଧରେ କୌଣସି ଗୋଟିଏ ବି ଅଭିଯୋଗ ଉପରେ ଏ ପର୍ଯ୍ୟନ୍ତ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହୋଇପାରିନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ବିରୁଦ୍ଧରେ ଦୁର୍ନୀତି,ଅନିୟମିତତା ଓ କଳାଶାସନର ପୁଳାପୁଳା ଅଭିଯୋଗ ଆଣୁଥିବା ବିଜେପି ଏବେ ରାଜ୍ୟରେ କ୍ଷମତାକୁ ଆସିବାପରେ ସତେଯେମିତି ସେସବୁକୁ ଆଖିବୁଜି ଦେଇଛି ।ଆଶ୍ଚର୍ଯ୍ୟର କଥା, ମନ୍ତ୍ରୀ ନବ ଦାସ ହତ୍ୟା ଓ ବ୍ଲାକରୋଜ୍ ଜାହାଜ ବୁଡ଼ି ଭଳି ଦୁଇଟି ସଙ୍ଗୀନ ମାମଲାରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଏବେ ନିରବଦ୍ରଷ୍ଟା ସାଜିଛି । ଯଦିଓ ଏହି ଦୁଇଟି ଘଟଣା ପଛରେ ବିଜେଡିର ବଡ଼ପଣ୍ଡାଙ୍କ ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ଥିବା ଖୋଦ୍ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେଡିର ସେହିସବୁ ‘କଳାକାରନାମା’ ଉପରେ ପରଦା ପକାଇବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

ଏପରିକି ବିଧାନସଭାରେ ମଧ୍ୟ ଏହି ବହୁଚର୍ଚ୍ଚିତ ଘଟଣାର ଉତ୍ତର ଦେବାକୁ ବିଜେପି ସରକାର ଆଗ୍ରହ ଦେଖାଉନାହାନ୍ତି ।ସେହିପରି, ସୂଚନା ଅଧିକାର ଆଇନ ବଳରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ବିଗତ ଦିନରେ ମିଳିଥିବା ସୁରକ୍ଷା ଓ ତାଙ୍କର ବିମାନବୁଲା ସଂକ୍ରାନ୍ତରେ ତଥ୍ୟ ମଗାଯାଇଥିଲା । ଯାହାକୁ ବିଜେପି ସରକାର ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହି ଏଡ଼ାଇଗଲେ ।ଠିକ୍ ସେହିପରି ସରକାରୀ କ୍ୱାର୍ଟର୍ସକୁ ବେଆଇନ ଭାବେ ରାଜପ୍ରସାଦ ଭଳି ଗଢ଼ି ପରେ ଭାଙ୍ଗିବା ଘଟଣାକୁ ନେଇ ବ୍ୟାପକ ହୋ-ହାଲ୍ଲା ହେବାପରେ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ବିରୁଦ୍ଧରେ ବିଜେପି ସରକାର ଜୁନ୍ ୨୬ତାରିଖରେ ତଦନ୍ତ ପାଇଁ କମିଟି ଗଢ଼ିଥିଲେ । ୨୪ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଅଫିସ୍ ଅର୍ଡର ଜାରି ହୋଇଥିଲା । କିନ୍ତୁ ଏଭଳି କିଛି ତଥ୍ୟ ନାହିଁ ବୋଲି ସୂଚନାକର୍ମୀଙ୍କୁ ନଭେମ୍ବର ୧୩ତାରିଖରେ କହି ସରକାର ଏହାକୁ ଏଡ଼ାଇଗଲେ ।କେବଳ ସେତିକି ନୁହେଁ, ମମିତା ମେହେର ହତ୍ୟାଠୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର, ସରକାରୀ ପାଣ୍ଠି ଓ କ୍ଷମତାର ଦୁରୂପଯୋଗ, ଖଣି-ପାଣି-ଚିଟଫଣ୍ଡ-ବିଜୁଳି ଆଦି ଦୁର୍ନୀତି ସମେତ କୋଭିଡ୍ ପାଣ୍ଠି ହେରଫେରକୁ ନେଇ ମଧ୍ୟ ବିଜେପି ନିରବ ରହିଛି ।

ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୨୪ ଏପ୍ରିଲ ୨୪ତାରିଖରେ ବିଜେଡି ସରକାରର ୨୫ବର୍ଷ ଶାସନର ପାପପେଡ଼ିର ହିସାବ ଦେଇ ‘କେତେଦିନ ଆଉ ସହିବା’ କହି ୬୦ପୃଷ୍ଠାର ଚାର୍ଜସିଟ୍ ଆଣି ବିଜେପି ନେତାମାନେ ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ । ଏବେ ‘ରାଜ୍ୟବାସୀ ସେହି ପରିବର୍ତ୍ତନ ଆଣିବା’ପରେ ବିଜେପି ସରକାର ନିରବଦ୍ରଷ୍ଟା ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।