ମୋବାଇଲ ଚୋର ଗିରଫ, ୩ଟି ଚୋରା ମୋବାଇଲ ଜବତ

ଭୁବନେଶ୍ବର, ୧୮/୪ : ମୋବାଇଲ ଚୋର ଗିରଫ । ଗୁରୁବାର କ୍ୟାପଟିଲା ଥାନା ପୋଲି ଜନୈକ ମୋବାଇଲ୍ ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଝାଡ଼ଖଣ୍ଡର ପୁର୍ବିସିଙ୍ଖଭୁମ ଜିଲ୍ଲାର ମାସୁକ ଖାନଙ୍କ ପୁଅ ଏମଡି. ଫାରୁକ(୨୪) । ଅଭିଯୋଗକାରୀ ଜଗନ୍ନାଥ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୭ରିଖ ସକାଳେ ମାଷ୍ଟର କ୍ୟାଣ୍ଟିନ ଛକ, ମୋ-ବସ ରହଣି ସ୍ଥଳ ନିକଟସ୍ଥ ଏକ ଗଛ ମୂଳରେ ବିଶ୍ରାମ କରୁଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ମୋବାଇଲ ଫୋନକୁ କୌଶଳ କ୍ରମେ ଚୋରୀ କରି ନେଇଯାଇଥିଲେ । ଅଭିଯୋଗକାରୀଙ୍କ ନିକଟରୁ ମୋବାଇଲ ଚୋରୀ ସମୟରେ ସ୍ଥାନୀୟ କିଛି ବ୍ୟକ୍ତି ଏହା ଦେଖିପାରି ଅଭିଯୁକ୍ତଙ୍କର ପିଛା କରିବା ସହିତ ତାଙ୍କୁ ଧରି ମାଡ଼ ମାରିଥିଲେ ।
କିନ୍ତୁ ଅଭିଯୁକ୍ତ ଜଣକ ସେମାନଙ୍କ କବଳରୁ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପରେ ଉକ୍ତ ମୋବାଇଲ ଫୋନକୁ ଜଣେ ଅଜ୍ଞାତ ପଥଚାରୀଙ୍କୁ କମ ଦାମରେ ବିକ୍ରି କରିଦେଇଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଘଟଣା ସ୍ଥଳ ଅଖାପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ରାଜମହଲ ଛକ ନିକଟରେ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ସେଠାରେ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ, ବିନା ସିମ କାର୍ଡ ଯୁକ୍ତ ତିନୋଟି ଚୋରା ମୋବାଇଲ ଫୋନକୁ ସ୍ବିଚ-ଅଫ ଅବସ୍ଥାରେ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିବା ବେଳେ ମୋବାଇଲ ବିକ୍ରିରୁ ମିଳିଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ଦେଇଥିବା ଦର୍ଶାଇଥିଲେ । ପୋଲିସ କେଶ ନଂ ୨୨୦ରେ ମାମଲା ରୁଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରିବା ସହ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।