ଜେପିସିରେ ୩୧ ସାଂସଦଙ୍କ ମଧ୍ୟରେ ଓଡ଼ିଶାରୁ ଭର୍ତ୍ତୃ ହରି ଓ ସମ୍ବିତ

ନୂଆଦିଲ୍ଲୀ, ୧୮/୧୨ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌ ସଂସଦର ଯୁଗ୍ମ କମିଟି ବା ଜେପିସିକୁ ଯାଇଛି। ସେଠାରେ ବିଲ ଉପରେ ତର୍ଜମା କରାଯିବ। ଏହାପରେ ଏହି ସମ୍ବିଧାନ ସଂଶୋଧନ ବିଲ ପୁଣି ଲୋକସଭାରେ ଉପସ୍ଥାପନ କରାଯିବ। ତେବେ ବିଲ୍‌ ଉପରେ ତର୍ଜମା କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୩୧ ଜଣ ସଦସ୍ୟଙ୍କୁ ନେଇ ଜେପିସି ଗଠନ କରାଯାଇଛି । ଏହି କମିଟିରେ ଲୋକସଭାରୁ ୨୧ ଜଣ ଓ ରାଜ୍ୟସଭାରୁ ୧୦ ଜଣ ସାଂସଦ ରହିଛନ୍ତି।ଜେପିସିରେ ଲୋକସଭାରୁ ସ୍ଥାନ ପାଇଥିବା ୨୧ ଜଣ ସଦସ୍ୟଙ୍କ ମଧ୍ୟରେ ପ୍ରଥମଥର ସାଂସଦ ହୋଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ରହିଛନ୍ତି। ନିକଟରେ କେରଳ ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜୟୀ ହୋଇଥିଲେ।

ଏବେ ତାଙ୍କୁ ସମ୍ବିଧାନ ସଂଶୋଧନ ପାଇଁ ଆଗତ ବିଲ ଉପରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ମିଳିଛି।ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରଥମଥର ଜିତିଥିବା ସମ୍ବିତ ପାତ୍ର ମଧ୍ୟ ଜେପିସିରେ ରହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶି କଟକ ଲୋକସଭାରୁ ବିଜୟୀ ହୋଇଥିବା ଭେଟରାନ ରାଜନେତା ଭର୍ତ୍ତୃହରି ମହତାବ ମଧ୍ୟ କମିଟିରେ ସ୍ଥାନ ପାଇଛନ୍ତି। ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଉପରେ ଆଲୋଚନା କରିବାକୁ ଥିବା ଜେପିସିର ନେତୃତ୍ୱ ବିଜେପି ସାଂସଦ ପିପି ଚୌଧୁରୀ ନେବେ।

ଲୋକସଭାର ୨୧ ସାଂସଦଙ୍କ ମଧ୍ୟରେ କମିଟିର ଅଧ୍ୟକ୍ଷ ଶ୍ରୀ ଚୌଧୁରୀଙ୍କୁ ମିଶାଇ ବିଜେପିର ସର୍ବାଧିକ ୧୦ ଜଣ ସାଂସଦ ରହିଛନ୍ତି।କଂଗ୍ରେସରୁ ୩ ଜଣ, ସମାଜବାଦୀ ପାର୍ଟି, ଟିଏମସି, ଡିଏମେକ, ଟିଡିପି, ଏନସିପି(ଶରଦ ପାୱାର), ଶିବସେନା(ସିନ୍ଦେ ଗ୍ରୁପ), ଆରଏଲଡି ଓ ଜନସେନା ପାର୍ଟିରୁ ଜଣେ ଲେଖାଏ ସାଂସଦ ଜେପିସିରେ ରହିଛନ୍ତି। ତେବେ ରାଜ୍ୟସଭାରୁ ଜେପିସିରେ ରହିଥିବା ୧୦ ଜଣ ସାଂସଦଙ୍କ ନାଁ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *