କାହା ଛତ୍ରଛାୟାରେ ଭି.କେ ପାଣ୍ଡିଆନ ?

ଭୁବନେଶ୍ବର, ୨0/୧୨ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଓ ବିଜେଡ଼ିର କ୍ଷମତାକେନ୍ଦ୍ର ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକରେ କ’ଣ ଆଲୋଚନା ହେଲା ତାହା କାହାକୁ ଜଣା ନାହିଁ । କିନ୍ତୁ ତାହା ଜୋରଦାର ଚର୍ଚ୍ଚା ହେଲା । ଉଭୟଙ୍କ ଚର୍ଚ୍ଚା ସମ୍ବନ୍ଧରେ ତଥ୍ୟ ପରିପ୍ରକାଶ ହୋଇନାହିଁ କିନ୍ତୁ ବିଜେପି ସତ୍ତା ଦଖଲ କରିବାରେ ସଫଳ ହେଲା । ବିଜେପିର ଅଦ୍ଭୁତପୂର୍ବ ଓଡ଼ିଶାରେ ସତ୍ତା ଦଖଲ ଓ ୨୦ ସାଂସଦଙ୍କ ବିଜୟ ପଛରେ ବିଜେଡ଼ିର ନିର୍ବାଚନ ରଣନୀତି ଭୁଲ୍‌ ଥିଲା ବୋଲି ଦଳର ଅନେକ ନେତା କହିଲେ କିନ୍ତୁ ଭୈରବଙ୍କୁ ବିଜେଡ଼ିର କୌଣସି ନେତା ଡାକି ହାରିବାର କାରଣ ପଚାରିପାରିଲେ ନାହିଁ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଭୈରବଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ଦଳର ନେତାଙ୍କ ସତ୍‌ସାହାସ କେଉଁଠୁ ଆସିବ ଦଳର ବିପର୍ଯ୍ୟୟ ସମୀକ୍ଷା କରିବା ପାଇଁ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ପକ୍ଷରୁ ମତପ୍ରକାଶ ପାଉଛି । ବିଜେପି ସତ୍ତା ଦଖଲ କରିବା ପରେ କିଛି ସମୟ ପାଇଁ ଚର୍ଚ୍ଚାକୁ ଆସି ଚର୍ଚ୍ଚାରେ ହଜିଯାଇଥିବା ଭୈରବ ପାଣ୍ଡିଆନ୍‌ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭୈରବ ପାଣ୍ଡିଆନଙ୍କ ଏକାନ୍ତ ଅନୁଗତ ବୋଲି ବିଜେପି ଦ୍ୱାରା ଆରୋପର ଶିକାର ହୋଇଥିବା ଆଇପିଏସ୍‌ ଅଧିକାରୀ ଡି.ଏସ୍‌. କୁଟ୍ଟେ ଓ ଆଶିଷ ସିଂହ ରାଜ୍ୟ ସରକାରଙ୍କଠାରୁ କ୍ଲିନ୍‌ଚିଟ୍‌ ପାଇ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ଆରୋପ ଆଣି କହିଛନ୍ତି ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହ ନିର୍ବାଚନ ସମୟରେ ବିଜେପି ପାଇଁ କାମ କରୁଥିଲେ ।

ପ୍ରମିଳା ମଲ୍ଲିକ ଯେଉଁ ଆରୋପ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂଙ୍କୁ ନେଇ ବିଜେପି ଉପରେ ଆଣିଛନ୍ତି ତାହାର ଉତ୍ତର ବିଜେଡ଼ିର କ୍ଷମତାକେନ୍ଦ୍ର ଭୈରବ ପାଣ୍ଡିଆନ୍‌ ସଠିକ୍‌ ଦେଇପାରିବେ ବୋଲି ଚର୍ଚ୍ଚା ହେଉଥିବା ସମୟରେ ସୁଜାତା ପାଣ୍ଡିଆନ୍‌ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡ଼ି ସରକାର ସମୟରେ ଆଲୋଚନା ହେଉଥିଲା ଭିକେ ପାଣ୍ଡିଆନ୍‌ ବିଜେଡ଼ି କ୍ଷମତାକେନ୍ଦ୍ର ହୋଇଥିବା ସମୟରେ ତାଙ୍କ କୋର୍‌ ଟିମ୍‌ର ପ୍ରତିନିଧି ସୁଜାତା ପାଣ୍ଡିଆନ୍‌ ଏବଂ ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହ ଥିଲେ । ଏବେ କେନ୍ଦ୍ରୀୟ ଡେପୁଟେସନରେ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହ ଯିବା ପରେ ସୁଜାତା ପାଣ୍ଡିଆନ୍‌ ମଧ୍ୟ ଦିଲ୍ଲୀ ଚାଲିଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ତୃତୀୟ ମହଲାରେ ଚର୍ଚ୍ଚା ହେଉଛି ।ଏହି ସବୁ ଚର୍ଚ୍ଚାର ସତ୍ୟତା ସମୟ କହିବଟ୍ଟ କିନ୍ତୁ ଭୈରବ ପାଣ୍ଡିଆନ୍‌ କାହା ଛତ୍ରଛାୟାରେ ଅଛନ୍ତି ତାହା ବିଭିନ୍ନ ମହଲରେ ଆଲୋଚନା ହେଉଛି । ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ଅଭିଯୋଗରେ ସିବିଆଇ ସମନ୍‌ ପାଇବା ପରେ ଏବେ ତୃତୀୟ ମହଲାରେ ଯେପରି ଛନକା ପଶିଛି ସେହିପରି ଭୈରବ ମଧ୍ୟ ଚର୍ଚ୍ଚାରେ ଆସିଯାଇଛନ୍ତି । ଯାହା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ଭୈରବ ପାଣ୍ଡିଆନଙ୍କ ଅଫିସ୍‌ ଅପରେଟ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହ କରୁଥିବା ସମୟରେ ଠିକା ବଣ୍ଟନ କାର୍ଯ୍ୟାଳୟ ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ଭିନିଲ୍‌ କ୍ରିଷ୍ଣା ଓ ବିଷ୍ଣୁପଦ ସେଠୀଙ୍କ ପରି କିଛି ବାବୁ ସମ୍ଭାଳୁଥିଲେ ।

ଏବେ ଆଲୋଚନା ହେଉଛି ସିବିଆଇ ବିଷ୍ଣୁପଦ ସେଠୀଙ୍କ ପାଖରେ ଅଟକିବ ନା’ ଭୈରବ ପାଣ୍ଡିଆନଙ୍କ ସହ ତାଙ୍କ କୋର୍‌ କମିଟି ପର୍ଯ୍ୟନ୍ତ ପହଞ୍ଚିବ ।ବିଜେପି ନିର୍ବାଚନ ପୂର୍ବରୁ ଦ୍ୱିତୀୟ ଅଭିଯୋଗ ଆଣିଥିଲା ସତ୍ତାରେ ବସିବା ପରେ ଭୈରବ ପାଣ୍ଡିଆନଙ୍କୁ କୌଣସି ଦୁର୍ନୀତିର ତଦନ୍ତ ପରିସରଭୁକ୍ତ କରିପାରି ନାହିଁ । ସର୍ବସାଧାରଣରେ ଚର୍ଚ୍ଚା ହେଉଛି ଭୈରବ କାହା ଛତ୍ରଛାୟାରେ ଅଛନ୍ତି ଯେ’ ବିଜେଡ଼ି ନେତା କିମ୍ବା ରାଜ୍ୟ ସରକାର ତାଙ୍କ ଉପରେ କୌଣସି ପଦକ୍ଷେପ ନେଇପାରୁ ନାହାଁନ୍ତି । ଏବେ ଦେଖିବାକୁ ରହିଲା ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦ ସେଠୀଙ୍କ ଭାୟାରେ ତୃତୀୟ ମହଲାରେ ପହଞ୍ଚି ସିବିଆଇ କିଛି କମାଲ୍‌ କରିପାରୁଛି ନା’ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପରି ଶୀତଳ ଭଣ୍ଡାରକୁ ଚାଲିଯାଉଛି ।

Leave a Reply

Your email address will not be published. Required fields are marked *