ବିଜୁଳି ଦର ୟୁନିଟ ପିଛା ୧୨ ଟଙ୍କା ବଢିବ!

ଭୁବନେଶ୍ୱର, ୧/୩ : ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଟାଟା ପାଓ୍ୱାର ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି । ଏପରିକି ବିଦ୍ୟୁତ୍‍ ନିୟମାକ ଆୟୋଗଙ୍କ ନିର୍ଦ୍ଧାରଣଠାରୁ ଅଧିକ ଅର୍ଥ ଆଦାୟ କରିଥିବା ଏହି ବିତରଣ କମ୍ପାନୀ ଆସନ୍ତା ବର୍ଷକୁ ୟୁନିଟ୍‍ ପିଛା ୧୨ଟଙ୍କା ୪୨ ପଇସା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ପ୍ରସ୍ତାବ ମଧ୍ୟ କମ୍ପାନୀ ପକ୍ଷରୁ ଓଇଆରସିଙ୍କୁ ପ୍ରଦାନ କରାଯାଇଛି।ଓଇଆରସି ପକ୍ଷରୁ ଷଷ୍ଠ ଦିନରେ ପହଞ୍ଚିଥିବା ଜନ ଶୁଣାଣିରେ ଟାଟା ପାଓ୍ୱାରର କେନ୍ଦ୍ରୀୟ ବିତରଣ କମ୍ପାନୀ ଟିପିସିଓଡିଏଲ୍‍ ଏହି ପ୍ରସ୍ତାବ ଦେଇ ବିଦ୍ୟୁତ୍‍ ବଣ୍ଟନରେ କ୍ଷତି ସହୁଥିବା ଦର୍ଶାଇଛି। ଆସନ୍ତା ବର୍ଷ ବିଜୁଳି ବଣ୍ଟନରେ ୨୩୭୪ ୟୁନିଟ୍‍ କ୍ଷତି ହେବ ବୋଲି ଆକଳନ କରିଛି। ଯାହାକି କମ୍ପାନୀକୁ ଆର୍ଥିକ ଭାବେ ୧୪୨ କୋଟି ୧୫ ଲକ୍ଷ ଟଙ୍କା କ୍ଷତି ପହଞ୍ଚାଇବ ବୋଲି କମ୍ପାନୀକହିଛି।

ବିଦ୍ୟୁତ୍‍ ନିୟାମକଙ୍କୁ ଏହାର କ୍ଷତିଭରଣା ଲାଗି ବିଜୁଳି ଦର ବୃଦ୍ଧି ପାଇଁ ନିବେଦନ କରିଛି।ଏଥିରେ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷର ଚାହିଦା ପୂରଣ ଲାଗି ଟିପିସିଓଡିଏଲ୍‍ ଗ୍ରୀଡକୋଠାରୁ ୧୩୮୨ କୋଟି ୩ ନିୟୁତ ବିଦ୍ୟୁତ୍‍ କିଣିବ। ଏଥିଲାଗି ଗ୍ରୀଡକୋକୁ ୪୬୮୮ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରିବ। ଏହି ବିଦ୍ୟୁତ୍‍ ସରବରାହ ବେଳେ ୧୭.୧୭% କ୍ଷତି ହେବ ଯାହାର ମୂଲ୍ୟ ୧୪୨ କୋଟି ୧୫ ଲକ୍ଷ ଟଙ୍କା ।ଟିପିସିଓଡିଏଲ୍ ଏହି ଆବେଦନକୁ ଶୁଣାଣି ବେଳେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଟାଟା ଏବେ ଓଇଆରସିଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଦେୟରୁ ୟୁନିଟ ପିଛା ୨୮ ପଇସା ଅଧିକ ଆୟ କରୁଛି। ଏ ବାବଦରେ କମ୍ପାନୀ ଚଳିତ ବର୍ଷ ୨୪୬ କୋଟି ୪୬ ଲକ୍ଷ ଟଙ୍କା ଅଧିକ ଆୟ କରିଛି।

ଏହା ବିଦ୍ୟୁତ୍‍ ଆଇନରା ଉଲ୍ଲଂଘନ ଏବଂ ଏହାକୁ କମ୍ପାନୀ ଗ୍ରାହକଙ୍କୁ ସୁଧ ସହ ଫେରାଇବା ଆବଶ୍ୟକ। ଅପରପକ୍ଷେ ଟାଟା ପାଓ୍ୱାର ବିଜୁଳି ବିତରଣ ଦାୟିତ୍ୱ ନେବା ପରେ ରାଜ୍ୟରେ ବିଦ୍ୟୁତ୍‍ କାଟ ବଢ଼ିଥିବା କୁହାଯାଇଛି। ଓଡ଼ିଶାରେ ମାସକୁ ୧୦ ଘଣ୍ଟା ତଥା ୧୫ ଥର ବିଦ୍ୟୁତ୍‍ କାଟର ବ୍ୟବସ୍ଥା ରହିଥିବା ବେଳେ ଏବେ ୧୫ ଘଣ୍ଟା ଓ ୨୬ ଥରକୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *