ନବୀନଙ୍କ ଅସୁସ୍ଥତା ନାଟକ ଥିଲା କି ?

ଭୁବନେଶ୍ୱର,୧୨/୯ : ଓଡ଼ିଶା ରାଜନୀତିରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଗଲେ । ୨୦୦୦ରୁ ୨୦୦୯ ବିଜେଡ଼ି-ବିଜେପି ମେଣ୍ଟ ସରକାରରେ ଏବଂ ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଥିବା ସମୟରେ ନବୀନ ଯେତିକି ସକ୍ରିୟ ସବୁ କ୍ଷେତ୍ରରେ ଥିଲେ ଧିରେ ଧିରେ ପରବର୍ତ୍ତୀ ସମୟରେ ମନ୍ଥର ଗତିରେ ଯାତ୍ରା କରିଲେ ।

୨୦୧୯ ନିର୍ବାଚନରେ ବିଜେଡ଼ି ପଞ୍ଚମ ଥର ସରକାର ଗଠନ କରିବା ପରେ ନବୀନ ଶାସନ ଓ ଦଳକୁ ନବୀନ ନିବାସରୁ ପରିଚାଳନା କରିବା ପରି ଦୃଶ୍ୟମାନ ହେଲା । ୨୦୨୪ ନିର୍ବାଚନ ସମୟରେ ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ ନବୀନଙ୍କ ଠାରୁ ଅଧିକ ଶକ୍ତିଶାଳୀ ବିଜେଡ଼ି ଏବଂ ଶାସନ ବ୍ୟବସ୍ଥାରେ ପରିଲକ୍ଷିତ ହେଲେ । ଭୈରବଙ୍କ ପାଇଁ ନବୀନ କ୍ଷମତାଚ୍ୟୁତ ହେଲେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତରୁ ପ୍ରକାଶ ପାଇଲା । ୨୪ ବର୍ଷର କ୍ଷମତା ୨୦୨୪ ନିର୍ବାଚନରେ ଯିବା ପରେ ନବୀନ ଏବେ ବିରୋଧୀ ଦଳ ନେତା । ସମଗ୍ର ରାଜ୍ୟରେ ଏବେ ନବୀନ ପଟ୍ଟନାକଙ୍କୁ ନେଇ ଗୋଟିଏ ଚର୍ଚ୍ଚା ହେଉଛି ସେ ପୂର୍ବରୁ ଅସୁସ୍ଥ ଥିଲେ ବୋଲି ବହୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ ନା’ ଏହା ଏକ ନାଟକ ଥିଲା ।ଏହିଭଳି ଚର୍ଚ୍ଚାର କାରଣ ହେଉଛି ନବୀନ ପଟ୍ଟନାୟକ କ୍ଷମତାରୁ ଓହରିବା ପରେ ଏବେ ବହୁ ସକ୍ରିୟ ହୋଇଛନ୍ତି, ଏପରିକି ଗଣେଶ ପୂଜା ସମୟରେ ବିଭିନ୍ନ ପୂଜା ମଣ୍ଡପ ମଧ୍ୟ ପରିଦର୍ଶନ କରିଛନ୍ତି ।

ସତ୍ତାରୁ ଯିବା ପରେ ବିଜେଡ଼ିର ସାଙ୍ଗଠନିକ କାର୍ଯ୍ୟ ଠାରୁ ସାମାଜିକ କାର୍ଯ୍ୟରେ ନବୀନ ଏବେ ସକ୍ରିୟଟ୍ଟ କିନ୍ତୁ ତାଙ୍କ ସକ୍ରିୟତା ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ବିଜେଡ଼ିକୁ ବଳ ଯୋଗାଇ ପାରିବ ନା’ ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ । କାରଣ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ିବା ଠାରୁ ଆରମ୍ଭ କରି ଦଳର ବହୁ ନେତା ଓ କର୍ମୀ ଏବେ ବିଜେପି ମୁହାଁ । ବିଜେପି ୨୦୧୪ ନିର୍ବାଚନ ପରଠାରୁ ବିଜେଡ଼ି ସରକାରକୁ ଟାର୍ଗେଟ୍‌ କରି ୨୦୨୪ରେ ରାଜ୍ୟରେ କ୍ଷମତା ଦଖଲ କରିବାରେ ସଫଳ ହୋଇଛି । ବିଭିନ୍ନ ମହଲରେ ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ମତଦାତା ନବୀନଙ୍କୁ କ୍ଷମତାଚ୍ୟୁତ କରିବାର ମୁଖ୍ୟ କାରଣ ଭୈରବ । ବିଜେପିର ରାଜ୍ୟଠାରୁ କେନ୍ଦ୍ର ନେତାଙ୍କ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟ ଟାର୍ଗେଟ୍‌ରେ ମଧ୍ୟ ଥିଲେ ଭୈରବ କାର୍ତ୍ତିକେୟନ । ଏବେ ମଧ୍ୟ ବିଜେପି ସରକାରରେ ବହୁ ମନ୍ତ୍ରୀ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ଭୈରବଙ୍କୁ ଟାର୍ଗେଟ୍‌ କରୁଛନ୍ତି ।

ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାମରେ ଆରୋପର ଲମ୍ବା ଚିଠା ଅଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ କ’ଣ ହେଉଛି ତାହା ଦେଖିବା ଅପେକ୍ଷାରେ ବିଜେପି ସମର୍ଥକ, କାରଣ ବିଜେପି କ୍ଷମତାକୁ ଆସିବା ପରେ ସରକାରୀ ବାବୁଙ୍କ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଯେତିକି ସକ୍ରିୟ ଅଛି ଏହା ତୁଳନାରେ ଯେଉଁ ବିଜେଡ଼ି ନେତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ନିର୍ବାଚନ ସମୟରେ ଦଳ ଆଣିଥିଲା ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇନାହିଁ ।

Leave a Reply

Your email address will not be published. Required fields are marked *