ଭୁବନେଶ୍ବର, ୧/୪ : ମାଷ୍ଟର ଷ୍ଟ୍ରୋକ ଖେଳିବେକି ନବୀନ ? ଏବେ ଏହାକୁ ନେଇ ଚର୍ଚ୍ଚା । ସୁଜାତା କାର୍ତ୍ତିକେୟନଙ୍କ ଭିଆରଏସ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଗାମୀ ରଣନୀତି କ’ଣ ହେବ । ତାକୁ ନେଇ ଚାଲିଛି ଅଙ୍କକଷା । ଶଙ୍ଖ କ୍ୟାମ୍ପ ପରିଚାଳନାକୁ ନେଇ ନା ନା ଆକଳନ। ୨୪ ନିର୍ବାଚନରେ ବିଜେଡ଼ିର ଅପ୍ରତ୍ୟାଶିତ ପରାଜୟ ପରେ ନବୀନଙ୍କୁ ନେଇ ଥମୁନି ଚର୍ଚ୍ଚା।
କ୍ଷମତାରେ ଥିବାବେଳେ ନବୀନଙ୍କ ଆଗାମୀ ପଦକ୍ଷେପ କଣ ରହିବ ସେନେଇ ଅନେକ ସନ୍ଦେହରେ ରହୁଥିଲେ। ମାଷ୍ଟର ଷ୍ଟ୍ରୋକ ଖେଳି ସମସ୍ତଙ୍କୁ ଚକମାଇ ଦେଉଥିଲେ। ଆଉ ଏବେ ବିରୋଧୀ ସିଟରେ ବସିବା ପରେ ସମାନ ସ୍ଥିତି। ବିଜେଡି ସୁପ୍ରିମ ଦିଲ୍ଲୀ-କୋଏମ୍ବାଟୁର ଗସ୍ତ ସାରି ଓଡ଼ିଶା ଫେରିବା ପରେ ଗୋଟିଏ ଚର୍ଚ୍ଚା ଯେ, ନବୀନଙ୍କ ପରବର୍ତ୍ତୀ ପଦକ୍ଷେପ କଣ ? ରାଜନୈତିକ ସମୀକ୍ଷକ ପ୍ରତିଦିନ ଭିନ୍ନ ଭିନ୍ନ ଅଙ୍କ କଷୁଛନ୍ତି। ଦଳୀୟ ନେତା ବି ନବୀନଙ୍କ ଆଗାମୀ ପ୍ଲାନ ଅନୁମାନ ଲଗେଇ ପାରୁନାହାନ୍ତି। ତେବେ ଆକଳନ କରାଯାଉଛି ଯେ ବିଜେଡି ସୁପ୍ରିମୋ ନବୀନ ନିବାସରେ ଶଙ୍ଖ କ୍ୟାମ୍ପକୁ ନେଇ ବଡ ପ୍ଲାନ କରୁଛନ୍ତି।୨୦୨୪ ଭୋଟ ପରେ ଓଡ଼ିଶାର ରାଜନୈତିକ ପରିସ୍ଥିତି ବଦଳିଛି। ଆଉ ବଦଳୁଥିବା ରାଜନୀତିର ପାଣିପାଗକୁ ନବୀନ ମଧ୍ୟ ଭଲ ଭାବେ ଠଉରାଇ ନେଇଛନ୍ତି। ଯାହା ତାଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ବୁଝା ପଡ଼ି ଯାଉଛି। ଏବେ ସେ ରାଜନୈତିକ ଗୋଟି ଚାଳନା ମଧ୍ୟ ଆରମ୍ଭ କରି ଦେଇଛନ୍ତି।
ଯାହା ବଡ ଉଦାହରଣ ମୋଦି ବିରୋଧୀ ମଞ୍ଚରେ ଟିମ ନବୀନ ଚେନ୍ନାଇ ବୈଠକରେ ସାମିଲ ହେବା। ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଅଭ୍ୟୁଦୟ ପରେ ବିଜେଡିକୁ ନେଇ ଯେଭଳି ସାଙ୍ଗଠନିକ ସ୍ତରରେ ନବୀନ କାୟାକଳ୍ପ ପରିବର୍ତ୍ତନ କଲେ ଏଥର ସେମିତି କିଛି ପଦକ୍ଷେପ ନେଇପାରନ୍ତି ବୋଲି ଦଳର ଅନ୍ଦର ମହଲରୁ ସୂଚନା ମିଳୁଛି।