ଦିନକ ପରେ ଭୋଟ୍ : ୪୨ ଆସନ ଉପରେ ନଜର

ଭୁବନେଶ୍ବର,୩୧/୫ : ଚଳିତ ସାଧାରଣ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ଏବେ ବିଜେଡି-ବିଜେପିକୁ ନିଜ ଗଡ଼ ସମ୍ଭାଳିବା ଚିନ୍ତା ଘାରିଥିବା କୁହାଯାଉଛି । ଦୁଇ ଦଳ ବିଜେଡି-ବିଜେପି ଏବେ ସରକାର ଗଢ଼ିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କହୁଥିଲେ ହେଁ ବାସ୍ତବରେ ଏହି ପର୍ଯ୍ୟାୟରେ ହାସଲ କରିବାକୁ ଥିବା ସିଟ୍ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ସେ ନେଇ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ବୋଲି କୁହାଯାଉଛି । ୨୦୧୯ର ଫଳାଫଳ ଦେଖିଲେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡ଼ିନଥିଲା। ବିଜେଡି ୩୩ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। ଆଉ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। ତେବେ ବିଜେଡି ଗଡ଼ରେ ବିଜେପି ତା’ର ରଣନୀତିରେ ସଫଳ ହେବ ନା ବିଜେଡି ତା’ର ପୂର୍ବ ରଣନୀତି ଭଳି ଏଥର ବି ବିଜେପିକୁ ଚିତ୍‌ପଟାଙ୍ଗ ମାରିବାକୁ ବାଧ୍ୟ କରିବ ତାହା ଏହି ୪୨ଟି ଆସନର ମତଦାତା ନିଷ୍ପତ୍ତି ନେବାକୁ ଯାଉଛନ୍ତି।