ଓଡିଶାରେ ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ, ଆସନ୍ତାକାଲି ନେବେ ଶପଥ

ଭୁବନେଶ୍ବର,୧୧/୬ : ଓଡିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରାୟ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିବାକୁ ଯାଉଛି । ମଙ୍ଗଳବାର ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦୁଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ ଦଳର ରାଜ୍ୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ହିଁ ବିଧାୟକ ଦଳ ନେତା ନିର୍ବାଚିତ ହେବେ ଓ ସେ ହିଁ ଆସନ୍ତାକାଲି ଅର୍ଥାତ ଜୁନ୍ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।ଏହି ଚର୍ଚ୍ଚାରେ ଏକାଧିକ ବରିଷ୍ଠ ନେତାଙ୍କ ନାମ ରହିଥିବାବେଳେ ସବୁଠୁ ଆଗରେ ରହିଛନ୍ତି ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ବ୍ରଜରାଜନଗରରୁ ବିଧାୟକ ହୋଇଥିବା ସୁରେଶ ପୁଜାରୀ । ସୁରେଶ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଫେରି ସାରିଛନ୍ତି । ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କୁଚିଣ୍ଡା ବିଧାୟକ ରବି ନାଏକଙ୍କ ନାମ ମଧ୍ୟ ଏହି ସମ୍ଭାବ୍ୟ ତାଲିକାରେ ରହିଛି । ହେଲେ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ଆଧାରରେ ବିଧାୟକ ଦଳ ନିଜ ନେତା ନିର୍ବାଚିତ କରିବାକୁ ଥିବାବେଳେ ଆଜି ହିଁ ମୁଖ୍ୟମନ୍ତ୍ରୀ ପଦରୁ ସସପେନ୍ସ ପ୍ରାୟତଃ ହଟିବା ମଧ୍ୟ ଏକପ୍ରକାର ସ୍ପଷ୍ଟ । ଗତକାଲି କେନ୍ଦ୍ର କ୍ୟାବିନେଟରେ ଦାୟିତ୍ବ ଆବଣ୍ଟନ ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତମାନେ ତାଙ୍କି ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିଛନ୍ତି । ଅନ୍ୟପଟେ ଦଳର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଭୁବନେଶ୍ବର ଫେରିଛନ୍ତି ।