ଅନୁପମ ପଟ୍ଟନାୟକଙ୍କ ଆଗାମୀ ଫିଲ୍ମ “କର୍ମ”ର ଶୁଭ ମହୁରତ, ପ୍ରଥମ ଥର ଅନୁପମଙ୍କ ଫିଲ୍ମରେ ଅନୁଭବ

ଭୁବନେଶ୍ବର,୨୬/୬ : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “କର୍ମ”ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ବୁଧବାର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏକ ବିଗ ବଜେଟର ସିନେମା ଆସନ୍ତା ଦୁର୍ଗା ପୂଜାରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ପାଇଁ ଅନୁପମ ପଟ୍ଟନାୟକ ପ୍ରୟାସ କରିଛନ୍ତି l ପୂର୍ବରୁ ଅନୁପମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ଜାତୀୟ ପୁରସ୍କାର ଲାଭ କରି ଓଡ଼ିଆ ସିନେ ଜଗତ ପାଇଁ ଖୁସି ଆଣିଦେଇଥିଲା, ତା‘ପରେ ତିନି ଜଣ ନାରୀଙ୍କ ସଂଘର୍ଷର କାହାଣୀକୁ ନେଇ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ତ୍ରିକନ୍ୟାର ବିରାଟ ସଫଳତା, ଆଗକୁ ଚଳଚ୍ଚିତ୍ର “କର୍ମ” ଇତିହାସ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି l କର୍ମର ଶୁଭ ମହୁରତ ଏବଂ ସ୍କ୍ରିପ୍ଟ ପୂଜା ଉତ୍ସବରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କାର୍ଯ୍ୟକାରିଣୀ ପ୍ରଯୋଜିକା ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଆଶୀଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ମୁଖ୍ୟ ଚରିତ୍ର ଗୁଡିକରେ ଅଭିନୟ କରୁଥିବା ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା ଉପସ୍ଥିତ ଥିଲେ l ଅମୀୟ ପଟ୍ଟନାୟକ ପ୍ରଡ଼କସନ ବ୍ୟାନରରେ ଦର୍ଶକ ପୂର୍ବରୁ ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳାଠାକୁର, ଚକା ଆଖି ସବୁ ଦେଖୁଚି ଏବଂ ରାଜାରାଣୀ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ର ଦେଖି ଆସିଛନ୍ତି l ଅନୁପମ ତାଙ୍କ ମାନସ ସନ୍ତାନ ହିସାବରେ ତାଙ୍କରି ନାମକୁ ଯଥାର୍ଥତା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି l ଅନୁପମ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଧାରାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି l ପ୍ରତୀକ୍ଷା ଜରିଆରେ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇପାରିଥିଲେ l ତେବେ ଅନୁପମଙ୍କ ପ୍ରତୀକ୍ଷା, ତ୍ରିକନ୍ୟାଠୁ ଅଧିକ ଭଲ ପାଇବା କର୍ମକୁ ଦେବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା l

Leave a Reply

Your email address will not be published. Required fields are marked *