ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୪ ପ୍ରଦାନ

ଭୁବନେଶ୍ବର,୨୧।୭ : ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ରବିବାର ପ୍ରଦାନ କରାଯାଇଛି । ୨୦୨୪ର ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି । ପୁରସ୍କାର ସ୍ବରୂପ ଶୁଭଙ୍କରଙ୍କୁ ମିଳିଛି ଏକ ଲକ୍ଷ ଟଙ୍କା । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ.ଅରୁନ୍ଧତୀ ଦେବୀ, ଯୋଗଦେଇ ସମାଜ ଗଠନରେ ଶିକ୍ଷାକୁ ଆଗେଇ ନେବାରେ ସତ୍ୟ ସୁତାରଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ଶିକ୍ଷା ହିଁ ସମାଧାନ ଉପରେ ଆଲୋକପାତ କରିଥିଲେ । ସେହିଭଳି ବିଶିଷ୍ଟ ଆଇନଜୀବୀ ପ୍ରବୀର କୁମାର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କିଭଳି ଛାତ୍ରଛାତ୍ରୀଙ୍କୁ ଆଗକୁ ନେବାରେ ସହାୟ ହୋଇଥାଏ ସେ ଉପରେ ଆଲୋଚନା କରିଥିଲେ । ଶେଷରେ ସତ୍ୟ ସୁତାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରେରଣା ଦେବ ବୋଲି ଯୋଗଦେଇଥିବା ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ସିଙ୍ଗାପୁର ସ୍ଥିତ ଫୁଡ ଏମ୍ପାୟାର ହୋଲଡିଂ ଏଲଟିଡିର ରିଜିଓନାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସେ ରାଜ୍ୟର ମାଟ୍ରିକ ଟପ୍ପରଙ୍କୁ ଗତ ୪ବର୍ଷ ଧରି ଏହି ମେଧାବୃତ୍ତି ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *