‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହାର ପୁରା ଟିମ

ଭୁବନେଶ୍ୱର, ୨/୯ : ଆଜି ଲୋକସଭା ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଆଶ୍ରମ’କୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଏହାର ପୁରା ଟିମ୍ । ‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରିକୁ ନେଇ ଆଲୋଚନା କରିବା ସହ ସିନେମା ପଲିସି ଏବଂ ଇଣ୍ଡଷ୍ଟ୍ରିରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ କଥୋପକଥନ ହୋଇଥିଲା । ଏହି ଅବସରରେ ବରିଷ୍ଠ ନିର୍ଦ୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ତପନ ଦାସ , ଅଭିନେତ୍ରୀ ମହାଶ୍ବେତା ରାୟ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ପ୍ରମୁଖ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ବରିଷ୍ଠ ନିର୍ଦ୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର କହିଛନ୍ତି ଆମର ବିଶେଷ ଉଦ୍ଦେଶ୍ୟ ଥିଲା ଆଶ୍ରମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଜଣାଇବାକୁ । କାରଣ ବହୁତ ଦିନ ପରେ ଏକ ଭଲ ସିନେମା ନିର୍ମାଣ ହୋଇଛି । ଏଥିରେ ସମାଜକୁ ଏକ ଭଲ ବାର୍ତ୍ତା ଯାଇଛି । ଏଣୁ ଆମେ ସମସ୍ତେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ବିଷୟରେ କହିଥିଲୁ । ମୁଖ୍ୟମନ୍ତ୍ରୀ ମଧ୍ୟ ଆମ କଥାକୁ ବହୁତ ସ ହୃଦୟତାର ସହ ଗ୍ରହଣ କରିଛନ୍ତି। ଏହାସହ ଆଗାମୀ ଦିନରେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଖାଲି ଏତିକି ନୁହେଁ ଏହି ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପ‌ରେ ଏକ ଆଲୋଚନା ହୋଇଥିଲା । ଏହି ସମୟରେ ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ବ୍ୟତୀତ ବିଜେପି ନେତା ସମୀର ମହାନ୍ତି , ଗୋଲକ ମହାପାତ୍ର, ସାରଦା ଶତପଥୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଗୋଟେ ଭଲ ଆଲୋଚନା ହେବା ସହ ସମସ୍ତେ ଆମକୁ ସହଯୋଗ କରିଛନ୍ତି । ଆମେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏକ ପଲିସି ଆଣିବାକୁ ଅନୁରୋଧ କଲୁ । ମୁଖ୍ୟମନ୍ତ୍ରୀ କହିଥିଲେ କି ମୁଁ ଶିଳ୍ପ ମନ୍ତ୍ରୀ ଏବଂ ସଚିବଙ୍କୁ ଡାକି ଏ ବିଷୟରେ କଥା ହେବି । ଏହାପରେ ଆପଣ ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ଲୋକଙ୍କୁ ଡାକିବି ଏବଂ ଖୁବଶୀଘ୍ର ଏହା ଉପରେ ଏକ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ସେହିଭଳି ମହାଶ୍ୱେତା ରାୟ କହିଛନ୍ତି, ଆଜି ଆମେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଯାଇ ଆଶ୍ରମକୁ କେମିତି ଟ୍ୟାକ୍ସ ଫ୍ରି ହେବ ସେ ନେଇ ଅନୁରୋଧ କରିରିଥିଲୁ । ସେ ଆମ କଥାକୁ ଶୁଣିବା ସହ ଆମେ ଏକ ଲେଖା ଦେଇଥିଲୁ। ଏହାପରେ ଆମେ ବିସ୍ତାର ଭାବେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଏକ ଆଲୋଚନା କରିଥିଲୁ । ସେ ଏହାପରେ ବହୁତ ଖୁସିର ସହ ପ୍ରତିଶ୍ରୁତି ଦେଇଛନ୍ତି କି ଆଗାମୀ ଦିନରେ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ । ଆଜିର ଏହି ବୈଠକକୁ ନେଇ ବହୁତ ଖୁସି ଅଛି ।

ଅନ୍ୟପଟେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କହିଛନ୍ତି, ଆଜି ଆମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶ୍ରମ ଫିଲ୍ମକୁ କିଭଳି ଟ୍ୟାକ୍ସ ଫ୍ରି ହେବ ସେ ନେଇ ଆଲୋଚନା କରିଥିଲୁ । ଯେହେତୁ ଏହି ଫିଲ୍ମ ମାଧ୍ୟମରେ ସମାଜକୁ ସୁନ୍ଦର ବାର୍ତ୍ତା ଯାଇଛି , ଆମ କଥା ଶୁଣି ସେ ଏଥିରେ ସହମତି ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ‌ଆମେ ଭେଟି ଫିଲ୍ମ ଇଣ୍ଡଷ୍ଟ୍ରିର ‌ସିନେ ପଲିସି ବିଷୟରେ କହିଥିଲୁ । କିଭଳି ସବସିଡି ଏବଂ ଫିଲ୍ମ ହଲର ସମସ୍ୟା ଅଛି ଏହା ଉପରେ କହିଥିଲୁ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୂର୍ବରୁ ଶିଳ୍ପ ମନ୍ତ୍ରୀ ଏବଂ ସଚିବ ହେମନ୍ତ ଶର୍ମାଙ୍କୁ ଏ ବିଷୟରେ ଅବଗତ କରାଯାଇଛି ବୋଲି ତାଙ୍କୁ ମଧ୍ୟ କହିଥିଲୁ । ଆମର ଦାବି ମଧ୍ୟ ଦେଇ ସାରିଛୁ । ଏ ସବୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କି ଖୁବଶୀଘ୍ର ଏ ବିଷୟରେ ପଦକ୍ଷେପ ନେବେ । ଏହି ବୈଠକ ବହୁତ ଭଲ ହେବା ସହ ଆମକୁ ଲାଗୁଛି ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ।

ପ୍ରଯୋଜକ ତପନ ଦାସ କହିଛନ୍ତି , ଆମେ ଗତ ୨୫ଅଗଷ୍ଟ ଦିନ ‘ଆଶ୍ରମ’ ଫିଲ୍ମର ଏକ ସ୍ପେଶାଲ ଶୋ କରିଥିଲୁ । ସେଥିରେ ବିଭିନ୍ନ କ୍ଷେତ୍ରରୁ କିଛି ବ୍ୟକ୍ତିଙ୍କୁ ଡାକିଥିଲୁ । ପରେ ସେମାନଙ୍କଠାରୁ ଏକ ଭଲ ଫିଡବ୍ୟାକ୍ ମିଳିଥିଲା । ଏଥିରେ ସୋସିଆଲ ବାର୍ତ୍ତା ଥିବାରୁ ଏହାକୁ ବହୁ ଜଣ ଟ୍ୟାକ୍ସ ଫ୍ରି କରିବାକୁ କହିଥିଲେ । ଏହି ଦୃଷ୍ଟିରୁ ଆଜି ଆମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଖା କରିଥିଲୁ । ସେମାନେ ଆମ ଦରଖାସ୍ତକୁ ରଖି କହିଥିଲେ କି ଆମେ ଏହା ଉପରେ ନିଷ୍ପତ୍ତି ନେବୁ ।ଆଜିର ଏହି ସାକ୍ଷାତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଦର୍ଶନ ନାୟକ, ମୁଖ୍ୟମନ୍ତ୍ରୀଙ୍କ ପିଆରଓ ଦେବାଶିଷ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ ଏବଂ ରଞ୍ଜିତ ଠାକୁର, ଅତିରିକ୍ତ ବ୍ୟକ୍ତିଗତ ସଚିବ ଅନୁପମ ସାହ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଚଳଚ୍ଚିତ୍ରର କ୍ରିଏଟିଭ ହେଡ଼ , ମାର୍କେଟିଂ ଓ ପିଆର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।