ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ !

ଭୁବନେଶ୍ୱର,୧୨/୯ : ଭି.କେ ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ । କଞ୍ଚାଲଙ୍କା ଓଟିଟିର କୋ ଫାଉଣ୍ଡର ତଥା ମ୍ୟାନେଜିଂ ଡାଇରେକ୍ଟର ବିଭୁ ରଥ ତାଙ୍କର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ଯାହା ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ଯେଉଁଥିରେ ଏକ ପୋଷ୍ଟର ରହିଛି । ସେହି ପୋଷ୍ଟରରେ ଲିଖିତ ଅଛି ସଚିବ – ଏ ମ୍ୟାନ୍ ଇନ୍ ହରି। ପ୍ରଛଦ ପଟରେ ଜଣେ ବ୍ୟକ୍ତି ଝାପ୍ସା ଭାବେ ଛିଡ଼ା ହୋଇଥିବାବେଳେ ଜଣେ ବ୍ୟକ୍ତି ଏକ ଚେସ ବୋର୍ଡ଼ରେ ଗୋଟି ଚଳାଉଥିବାର ଦୃଶ୍ୟ ନଜରକୁ ଆସୁଛି । ସହିଭଳି ୨୦୨୫ ଲେଖା ରହିଛି । ଏହି ପୋଷ୍ଟର ସେୟାର ହେବା ମାତ୍ରକେ ବହୁ ଭାଇରାଲ ହେବାରେ ଲାଗିଛି । ଏହାର ନିର୍ଦ୍ଦେଶନା ଭାର ଜଗଦିଶ ମିଶ୍ର ସମ୍ଭାଳିବେ ବୋଲି ଜଣାପଡ଼ିଛି । କଞ୍ଚାଲଙ୍କା ରାଜ୍ୟର ଏକ ଲୋକପ୍ରିୟ ଓଟିଟି ଭାବେ ପରିଚିତ । ଯାହା ବହୁ ମନୋରଞ୍ଜନ ଧର୍ମୀ ଓ୍ବେବ ସିରିଜ ଦର୍ଶକମାନଙ୍କୁ ଭେଟି ଦେଇଛି । ବିଶେଷ କରି ଗ୍ୟାଙ୍ଗ୍ସ ଅଫ ପୁରୀ ଏହାର ଏକ ଲୋକପ୍ରିୟତାର ଶୀର୍ଷରେ ଥିବା ଓ୍ବେବ ସିରିଜ ।

ବିଜେଡିର ପରାଜୟ ପରେ ଦଳର ସର୍ବ ଶକ୍ତିମାନ ପାଲଟିଥିବା ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ସତ । କିନ୍ତୁ ରାଜନୈତିକ ମୁନିବମାନେ ଏହାକୁ ମାନିବାକୁ ନାରାଜ । ତାଙ୍କ ମତରେ ପାଣ୍ଡିଆନ ଏବେ ପ୍ରତ୍ୟେକ୍ଷ ନୁହେଁ ବରଂ ପରୋକ୍ଷ ଭାବେ ଦଳରେ କାମ କରୁଛନ୍ତି । ଯଦି ଆମେ ଦେଖିବା ତାଙ୍କର କିଛି ସୋସିଆଲ ସାଇଟ୍ ମଧ୍ୟ ଏବେ ବହୁ ସକ୍ରିୟ ଅଛି । ନୂତନ ଭାବେ ରାଜ୍ୟରେ ଆସିଥିବା ବିଜେପି ସରକାରକୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଦଳ ମଧ୍ୟରେ ତାଙ୍କୁ ନେଇ ଏବେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଠିକ୍ ଏତିକିବେଳେ ଏହି ସିନେମା ରିଲିଜ ହେଲେ କେହି ଆପତ୍ତି କରିବେ ନାହିଁ ବୋଲି ଅନୁମାନ କରାଯାଉଛି ।

ଏବେ ଓ୍ୱେବ ସିରିଜର ରୂପରେଖକୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭି.କେ ପାଣ୍ଡିଆନ ନିଶ୍ଚିୟ ଏହି ସିରିଜର ଖଳନାୟକ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ସେ ଯେମିତି ଭଙ୍ଗିରେ ଠିଆ ହୋଇଥାନ୍ତି ସେପରି ଜଣେ ବ୍ୟକ୍ତି ପୋଷ୍ଟରରେ ଠିଆ ହୋଇଛନ୍ତି । ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ଦେଖାଦେଇଛି । ଦେଖିବାକୁ ବାକି ରହିଲା ଏହି ଓ୍ବେବ ସିରିଜରେ କେଉଁ ଦୃଶ୍ୟ ଦେଖିବାକୁ ମିଳିବ । କାହାଣୀର ହିରୋ କିଏ ଏବଂ ଖଳନାୟକ କିଏ ତାହା ସିରିଜ ଆସିବା ପରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *