ବିଜେଡିର ପିଛା ଛାଡୁନି ପରାଜୟ ଚର୍ଚ୍ଚା

ଭୁବନେଶ୍ବର, ୨୫/୯ : ବିଜେଡି ଭିତରେ ତେଜୁଛି ସ୍ବର । ସୁପ୍ରିମୋଙ୍କ ସହ ସାକ୍ଷାତ ବେଳେ ନବରଙ୍ଗପୁର ପରାଜୟର ତିନିଟି କାରଣ କହିଲେ ପ୍ରଦୀପ ମାଝୀ । ସେପଟେ ବଦ୍ରି କହିଲେ-ନବୀନ ନ ବୁଲିବାରୁ କ୍ଷତି ସହିଲା ଦଳ । ପ୍ରଶାନ୍ତଙ୍କ ସଫେଇ, ନିର୍ବାଚନୀ ପରିଚାଳନାରେ ଭୁଲ ଥିଲେ ମିଳି ନଥାନ୍ତା ୫୧ ଆସନ ।ଆଗକୁ ବଢିବାକୁ ବିଜେଡି ରଣନୀତି କରୁଥିବା ବେଳେ ପିଛା ଛାଡୁନି ପରାଜୟ ଚର୍ଚ୍ଚା। ନବୀନଙ୍କ ଉପସ୍ଥିତିରେ ହାରିବାର କାରଣ କହୁଛନ୍ତି ନେତା। ସାଂଗଠନିକ ସମୀକ୍ଷା ବୈଠକରେ ନବୀନ ଏବଂ ପ୍ରଦୀପ ମାଝୀଙ୍କ ବାର୍ତ୍ତାଳାପର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବଦ୍ରୀ ପାତ୍ର ବି କହିଛନ୍ତି ନବୀନ ନ ବୁଲିବାରୁ କ୍ଷତି ସହିଲା ବିଜେଡି। ହେଲେ ପ୍ରଶାନ୍ତ ମୁଦୁଲି କହିଛନ୍ତି ନିର୍ବାଚନୀ ପରିଚାଳନାରେ ତ୍ରୁଟି ଥିଲେ ବିଜେଡିକୁ ୫୧ ଆସନ ମିଳି ନଥାନ୍ତା।ସାଧାରଣ ନିର୍ବାଚନକୁ ୪ ମାସ ବିତିବାକୁ ବସିଲାଣି। ହେଲେ ବିଜେଡିର ଅପ୍ରତ୍ୟାଶିତ ପରାଜୟକୁ ନେଇ ବିଭିନ୍ନ ଫୋରମରେ ଚର୍ଚ୍ଚା ଜାରି ରହିଛି।

ସେପଟେ ପରାଜୟକୁ ଭୁଲି ଆଗକୁ ବଢ଼ିବାକୁ ରଣନୀତି କରୁଛି ବିଜେଡି। ନବୀନ ନିବାସ ଓ ଶଙ୍ଖ ଭବନରେ ଜିଲ୍ଲାୱାରୀ ସାଂଗଠନିକ ସମୀକ୍ଷା କରାଯାଇ ଭବିଷ୍ୟତ ହେଉଛି ରଣନୀତି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନେତାଙ୍କ ସହ କରୁଛନ୍ତି ୱାନ ଟୁ ୱାନ ଆଲୋଚନା। ଏବଂ ସମୀକ୍ଷା ବୈଠକରେ ନବୀନଙ୍କ ଉପସ୍ଥିତିରେ ପରାଜୟର କାରଣ କହୁଛନ୍ତି ନେତା । ସୋମବାର ଶଙ୍ଖ ଭବନରେ ନବରଙ୍ଗପୁର ଜିଲ୍ଲା ସମୀକ୍ଷାବେଳେ ନବୀନ ପଟ୍ଟନାୟକ ଏବଂ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ମଧ୍ୟରେ ବାର୍ତ୍ତାଳାପର କିଛି ଭିଡିଓକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।ନିର୍ବାଚନର ଦଳ କାହିଁକି ହାରିଲା ତାହାର ତିନିଟି କାରଣ ନବୀନଙ୍କୁ ଜଣାଇଛନ୍ତି ପ୍ରଦୀପ। କହିଛନ୍ତି ମେଣ୍ଟ ଚର୍ଚ୍ଚା ଯୋଗୁଁ ମିଳିଲାନି ଖ୍ରୀଷ୍ଟିଆନ ଭୋଟ। ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ହାରିଲା ବିଜେଡି । ଏହି ତିନି କାରଣ ବିଜେଡି ପରାଜୟର ପ୍ରମୁଖ କାରଣ ବୋଲି ଦଳର ମୁଖିଆଙ୍କୁ ଜଣାଇଛନ୍ତି ପ୍ରଦୀପ। ସେପଟେ ପ୍ରଦୀପଙ୍କ ପରେ ଦଳର ବରିଷ୍ଠ ନେତା ବଦ୍ରୀ ପାତ୍ର ବି ଅନେକ ଦିଗକୁ ଇଙ୍ଗିତ କରିଛନ୍ତି। ନିର୍ବାଚନ ସମୟରେ ନବୀନ ନବୁଲିବା ବିଜେଡି ପରାଜୟର କାରଣ ବୋଲି କହିଛନ୍ତି ବଦ୍ରୀ। ବିଜେଡିର ସବୁ ସ୍ଥାନରେ ଭୋଟ ଅଛି କିନ୍ତୁ ନବୀନ ବୁଲିଲେ ନାହିଁ କି,ସମୟ ଦେଇପାରିଲେ ନାହିଁ। ସେ ଦୃଷ୍ଟିରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେବା ସହ ବିଜେଡିର ଫଳାଫଳ ଖରାପ ହୋଇଛି। ନବୀନ ନଭେମ୍ବରରୁ ଜିଲ୍ଲା ଗସ୍ତ କରିବା ପରେ ସବୁ ଠିକ୍ ଠାକ୍ ହୋଇଯିବ ବୋଲି କହିଛନ୍ତି ବଦ୍ରୀ ପାତ୍ର।ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ପ୍ରଦୀପ ମାଝୀ ଯାହା କହିଛନ୍ତି ତାକୁ ସାମଗ୍ରୀକ ଭାବେ ନିଆଯିବା ଉଚିତ୍‌ ନୁହେଁ। ଦଳ ହାରିବାର ଅନେକ କାରଣ ରହିଛି।

ନିର୍ବାଚନୀ ପରିଚାଳନାରେ ତ୍ରୁଟି ଥିଲେ ବିଜେଡିକୁ ଅଧିକ୍ ଭୋଟ ମିଳି ନଥାନ୍ତା କି ୫୧ ଆସନ ମିଳି ନଥାନ୍ତା।ଆଗାମୀ ସମୟରେ ସଙ୍ଗଠନ କିପରି ମଜବୁତ୍ ହେବ, ଦଳର ରଣନୀତି କଣ ରହିବ, ତୃଣମୂଳ ସ୍ତରରେ ନେତା କିପରି ଲୋକ ସମ୍ପର୍କ ଯୋଡ଼ିବେ ଏଭଳି ଅନେକ ଦିଗକୁ ନେଇ ଚାଲିଛି ବିଚାର ବିମର୍ଶ। ଗୋଟେ ପଟେ ଦଳ ସଙ୍ଗଠନ ସଙ୍ଗଠନ ସଜାଡୁଥିବା ବେଳେ ଅନ୍ୟ ପଟେ ନେତାଙ୍କ ମଧ୍ୟରେ ଫାଟ ବି ସାମ୍ନାକୁ ଆସୁଛି। ଭୁବନେଶ୍ୱର ବିଜେଡିରେ କଳି ଜଳ ଜଳ ଦିଶୁଥିବା ବେଳେ ଏବେ ନବରଙ୍ଗପୁର କଥା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *