ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ : ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର,୨୬/୩ : ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବନ କଲେ। ଆଶା କରାଯାଉଥିଲା ଯେ ତାହା ପରେ କଂଗ୍ରେସ ବିଧାୟକମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। କିନ୍ତୁ କଂଗ୍ରେସ ବିଧାୟକମାନେ ଏହା କଲେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ରାଜନୈତିକ ଚକ୍ରାନ୍ତ କରି ଓଡ଼ିଶାର ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି। କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ୨୭ ତାରିଖରେ ଆନ୍ଦୋଳନର ଡାକରା ଦେଇଛି।

ବୁଡ଼ି ଯାଇଥିବା ଡ଼ଙ୍ଗାକୁ ବଞ୍ଚେଇବାକୁ ଉଦ୍ୟମ କରୁଛି। ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ଦିଅ ନାହିଁ। ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରିବ। ବିକାଶକୁ ହତ୍ୟା କରିବ। ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି। ବିଧାନସଭାରେ ଗୁଣ୍ଡା ରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ। ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ଧୁଣି ଦୁଷ୍କର୍ମ ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନାକୁ ଆସିଥିଲା। କଂଗ୍ରେସ ଶାସନ କାଳରେ ମହିଳାଙ୍କ ଉପରେ ପାସବିକ ଅତ୍ୟାଚାର ହୋଇଥିଲା। ମହିଳାଙ୍କୁ ମୃତ୍ୟୁର ଦ୍ୱାର ଦେଖାଇ ଦେଇଛନ୍ତି। କିନ୍ତୁ ଆମ ସରକାର ସଚେତନ ଅଛନ୍ତି। ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ହନନ କରୁଛ କଂଗ୍ରେସ। ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ। କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି।

Leave a Reply

Your email address will not be published. Required fields are marked *