ଦୀପକର ସତ ଓଗାଳିବ ମିଛଧରା ପରୀକ୍ଷା

ଖୋଲୁଛି କିଲର୍ ଦୀପକର କଳା ସତ । ଲେଡି କନଷ୍ଟେବଳଙ୍କ ହତ୍ୟା ମାମଲାରେ ବନ୍ଧା ହୋଇଥିଲା ଦୀପକର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆମୋଡ଼ । ଦୁର୍ଘଟଣା ନୁହେଁ ବରଂ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ। ଯାହାର ଠୋସ ପ୍ରମାଣ ଏବେ ଲାଗିଛି ପୋଲିସ ହାତରେ ।

ଝାରପଡା ଜେଲରେ ଦୀପକକୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ ତଥ୍ୟ ଜଣାପଡ଼ିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଉଥରେ ଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଚୁଡ଼ାନ୍ତ ରିପୋର୍ଟରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃ ଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବୋଲି ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ପୂରା ଘଟଣା ଉପରୁ ପରଦା ହଟାଇବାକୁ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ ପୁଲିସ ।

ସୂଚନା ମୁତାବକ , ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ରାଧାକିଶୋର ପୁରଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ପୁଲିସକୁ କହିଥିଲା ଦୀପକ । ତେବେ ଅପର୍ଣ୍ଣା ମୃତ୍ୟୁକୁ ନେଇ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡରେ ଦୀପକଙ୍କ ସମ୍ପୃକ୍ତି ମିଳିଥିଲା ।

ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିବା ପରେ ବୀମା ଟଙ୍କା ପାଇଁ ତାଙ୍କୁ ହତ୍ୟା କରି ପୋତି ଦେଇଥିଲେ ଦୀପକ । ପରେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସନ୍ଦେହ କରିଥିଲେ । ଆଉ ଏବେ ତଦନ୍ତରୁ ଦୀପକର ମିଛର ଗୁମର ଖୋଲୁଛି ।

Leave a Reply

Your email address will not be published. Required fields are marked *